Unknown

 

 

 

 

 

 

 

 

 

 

ବାଲୁଙ୍କେଶ୍ୱର ଜଣାଣ ଚଉତିଶା

କୃତିବାସ

 

କେଉଁ କର୍ମହୀନ କରଇ ଜଣାଣ ବାଲୁଙ୍କେଶ୍ୱରଙ୍କୁ ଚାହିଁ,

କରପତ୍ର ଯୋଡ଼ି ପଦ୍ମପାଦେ ପଡ଼ି

ବୃଷଭ ପଛରେ ରହି ହେ ।

ଆହେ କରୁଣାସାଗର ।

କର କୃପା ମୋଠାରେ ସତ୍ୱରହେ ।୧।

 

ଖରେ ମୋ ଗୁହାରି ଶୁଣ ଶୂଳଧାରି କ୍ଷଣେ ବିଳମ୍ବ ନ କର,

କ୍ଷିତିମଣ୍ଡଳରେ କେ ତୁମ୍ଭ ବାହାରେ

ଭରସା ଅଛି ମୋହର ହେ ।

ଆହେ ଖଟ୍ୱାଙ୍ଗଧାରଣ,

ଖେଦ-ସିନ୍ଧୁରୁ କର ତାରଣ ହେ ।୨।

 

ଗଣନାରେ ମହୀମଣ୍ଡଳରେ କେହି ନାହିଁ ପାପୀ ମୋ ସଦୃଶ,

ଗଙ୍ଗାଧର ମୋତେ ତାରିଲେ

ଜଗତେ ରହିବଟି ବଡ଼ ଯଶ ହେ ।

ଗର୍ବ କରି ଏ ବିପତ୍ତି,

ଗଞ୍ଜୁଅଛି ମୋତେ ଦିବାରାତିହେ ।୩।

 

 

 

 

ଘନକୁ ଚାତକ ପରି ମୁଁ ଅନେକ ଆଶା କରିଛିୁ ତୁମ୍ଭଙ୍କୁ,

ଘୋର ଆର୍ତ୍ତକାଳେ ଚାହିଁ କୃପାଡୋଳେ

ତାର ଏ ଦୀନ ଜନକୁ ହେ ।

ଘୁଞ୍ଚୁ ଏ ଘୋର ଦୁର୍ଦ୍ଦଶା,

ଘଙ୍ଗାଧର ତୁମ୍ଭେ ମୋ ଭରସା ହେ ।୪।

 

ନିରାଶ୍ରୟ ଜନଠାରେ ଅବଧାନ ଯେବେ ହର ନ କରିବ,

ନିଶ୍ଚେ ହେଲେ ବାମ ଦୀନବନ୍ଧୁ ନାମ

ଏହିଠାରୁ ଦୂର ହେବ ହେ ।

ନବପଞ୍ଚ ଭୁବନରେ,

ନାହିଁ ଭରସା ତୁମ୍ଭ ବାହାରେ ହେ ।୫।

 

ଚତୁର୍ଦ୍ଦଶ ପୁର ଉଡ଼ଇ ଯାହାର ଭସ୍ମାଙ୍କୁର ନାମେ ବାନା

ଚଣ୍ଡିକାନ୍ତ ବିନୁ କେ ଅଛି ମୋ ମନୁ

ନାଶିବ ଘୋର ବେଦନା ହେ ।

ଚନ୍ଦ୍ର ବିନୁ ଚକୋରର,

ଚଞ୍ଚୁ ପୁଟେ କେ ଦେବ ଆହାର ହେ ।୬।

 

 

 

 

ଛାଡ଼ି ସର୍ବ ଆଶା କରିଛି ଭରସା ରସାରେ ତୁମ୍ଭ ଚରଣ,

ଛାର ଏ ବିପତ୍ତି ନଗଲେ

ଅକୀର୍ତ୍ତି ପାଇବ ଉମାରମଣ ହେ ।

ଛାଡ଼ିଯିବଟି ଜୀବନ,

ଛନ୍ଦ ନ ମଣ ଭୃତ୍ୟ ବଚନ ହେ ।୭।

 

ଜନକତନୁଜାତି କରି ପୂଜା ବର ମାଗିଲେ ତୁମ୍ଭଙ୍କୁ,

ଜାଗ୍ରତ ନିଦ୍ରାରେ ରହି ଏ ସ୍ଥାନରେ

ତାରିଲ ପାପୀମାନଙ୍କୁ ହେ ।

ଜଟାଧର ତା ଆହରି,

ଜାଣି କରିଦେଉଛ ପାସୋରି ହେ ।୮।

 

ଝିମିଟେ ଅନ୍ତର ନୋହିଲା ଏ ଘୋର ସନ୍ତାପ ମୋହ ଅଙ୍ଗରୁ

ଝୁରି ଝୁରି ଦାସ ଯେବେ ଯିବ ନାଶ

କି ହେବ ପ୍ରଭୁପଣରୁ ହେ ।

ଆହେ ଝସକେତୁ ହରି ।

ଝଟିତିରେ ଶୁଣ ମୋ ଗୁହାରି ହେ ।୯।

 

 

 

 

ନବଜଳଧର ବିନୁ ଚାତକର କେହି ନାହିଁଟି ଶରଣ,

ନିଶ୍ଚେ ମୋର ରସାମଣ୍ଡଳେ ଭରସା

ମାତ୍ର ତୁମ୍ଭ ଶ୍ରୀଚରଣ ହେ ।

ଆହେ ନଗସୁତାପତି,

ନରଖିଲେ ଭୃତ୍ୟର କି ଗତି ହେ ।୧୦।

 

ଟଙ୍କଧର ତୁମ୍ଭ କୃପାଦିକି କୁମ୍ଭସୁତ ହୋଇ ମୋ କଷଣ,

ଟିକାୟେ ନରଖି ପାନକଲା ନିକି

ତେଣୁ ଗୁହାରି ନଶୁଣ ହେ ।

ଟଳିଗଲେ ଏ ମହିମା,

ଟେକ ଯିବ କି ଦୁଃଖ-ଗରିମା ହେ ।୧୧।

 

ଠାକୁର ବୋଲାଇ ଦୀନଜନ ପାଇଁ ଯେବେ ସୁପକ୍ଷ ନୋହିବ,

ଠିକେ ମୋର ପ୍ରାଣ ଗଲେ ପ୍ରଭୁ ଜାଣ

ନିଶ୍ଚେ ଅକୀର୍ତ୍ତି ପାଇବ ହେ ।

ଠାବ ନାହିଁ ମହାବାହୁ ।

ଠଉରିବି ମୁଁ କେମନ୍ତେ ଆଉ ହେ ।୧୨।

 

 

 

 

ଡେରି କର୍ଣ୍ଣପଥ ଶୁଣ ମୋ ଆରତ ଆହେ ବାଞ୍ଛା-କଳ୍ପତରୁ,

ଡମ୍ବରୁଧାରଣ ବିନୁ କେ ତାରଣ

କରିବ ଶୋକସାଗରୁ ହେ ।

ଡାକ ଶୁଣ ମୋ ସତ୍ୱର,

ଡଙ୍କନାଶନବାନା ତୁମ୍ଭର ହେ ।୧୩।

 

ଢାଳି କୁପାଜଳ ସନ୍ତାପ-ଅନଳ ଲିଭାଅ ଭୃତ୍ୟ ଜନର,

ଢକ୍‌କା ବାଜିକରି ଯା ମହିମା

ପୂରି ରହିଅଛି ବ୍ରହ୍ମାଣ୍ଡର ହେ ।

ଢାଳେ ନ ଶୁଣ ମୋ ଗିର,

ଢାଙ୍କିଲ କି କର୍ଣ୍ଣରେ ପଥର ହେ ।୧୪।

 

ଅଶରଣଜନଠାରେ କୃପାବାନ ହୋଇଲେ ନିଷ୍ଠୁର ମତି,

ଅଖିଳ ବ୍ରହ୍ମାଣ୍ଡେ କେହି ଅବା ଚାଣ୍ଡେ

ହରିବ ମୋର ଦୁର୍ଗତି ହେ ।

ଆହେ ଅମରନାୟକ !

ଅଶରଣ ଜନେ ଦୟା ରଖ ହେ ।୧୫।

 

 

 

 

ତିଳେ କୃପାନେତ୍ରେ ଚାହିଁ ଦେଲେ ମୋତେ ନାଶ ହେବ ଏ ଦୁର୍ଗତି,

ତୃତୀୟ ନୟନ କଟାକ୍ଷେ ଦହନ

ଯେହ୍ନେ ହେଲା ରତିପତି ହେ ।

ତୁମ୍ଭ ବିନୁ ପଶୁପତି !

ତାରିବାକୁ ନାହିଁ ଅନ୍ୟ ଗତି ହେ ।୧୬।

 

ଥାଉଁ ପ୍ରଭୁପଣ କିପାଁଇ ନ ଶୁଣ ଏ ଦୀନଜନ ଗୁହାରି,

ଥାବର ଜଙ୍ଗମ ସମସ୍ତେ କରମ

ରହିବେ ଯେବେ ଆଦରି ହେ ।

ଥୁଅ ବାନାକୁ ଫିଟାଇ,

ଥରେ ନ କହିବେ ଦୁଃଖ କେହି ହେ ।୧୭।

 

ଦେବନଦୀତୀରେ ଅଇରିଘାଟରେ ଚିନ୍ତା କଲେ ଦ୍ୱିଜବାମା,

ଦୁଃସହ ଗରଳ ହୋଇଗଲା ଜଳ

ରହିଛି ତୁମ୍ଭ ଗରିମା ହେ,

ଆହେ ଦୁରିତନାଶନ,

ଦିଅ ଭକ୍ତକୁ ଅଭୟଦାନ ହେ ।୧୮।

 

 

 

 

ଧନପତି ଯା’ର ସେବିଣ ପୟର ପାଇଲେ ଅଳକାପୁର,

ଧର୍ମରାଜ ଭୟ ପାଇ ମାର୍କଣ୍ଡେୟ

ଯାହାକୁ ସେବି ଅମର ହେ ।

ଧ୍ୟାୟୀ ସେ ପ୍ରଭୁ ଚରଣ,

ଧନ୍ଦା ନ ଗଲା ବଡ଼ ଦୂଷଣ ହେ ।୧୯।

 

ନୀରଜ ଚରଣଯୁଗଳେ ଶରଣ ପଶିଛି ଅତି ଆରତି,

ନିବାରି ଏ ଦୁଃଖ ଆହେ ପଞ୍ଚମୁଖ

ଉଦ୍ଧରି ଧର ଝଟତି ହେ ।

ନୁହ ନିଷ୍ଠୁର ହୃଦୟ,

ନିନ୍ଦା ପାଇବଟି ମୃତ୍ୟୁଞ୍ଜୟ ହେ ।୨୦।

 

ପାଇ ମହାଖେଦ ସର୍ବ ସୁରବୃନ୍ଦ ଶରଣ ଗଲେ ତୁମ୍ଭଙ୍କୁ,

ପ୍ରବଳ ତ୍ରିପୁର ଦାନବ ସଂହାର

କରି ରଖିଲ ତାହାଙ୍କୁ ହେ ।

ପାନ କରି କାଳକୂଟ,

ପ୍ରଭୁପଣକୁ କଲ ପ୍ରକଟ ହେ ।୨୧।

 

 

 

 

ଫୁଲଧନୁ-ଅରି ଶୁଣ ମୋ ଗୁହାରି ସତ୍ୟ ଲଙ୍ଘିଲେ ଆପଣେ,

ଫେରିଯିବ ସୃଷ୍ଟି ଆଉ ଜଳବୃଷ୍ଟି

ନ କରିବେ ମେଘମାନେ ହେ ।

ଫାଟିଯିବଟି ଏ ଧରା,

ଫଣୀରାଜ ପାଇବେଟି ଭାରା ହେ ।୨୨।

 

ବିପତ୍ତିସାଗରେ ପଡ଼ି ନିରନ୍ତରେ ଭାସିଯାଉଛି ଗୋସାଇଁ,

ବାରେ କୃପା-ନାବ ଲଗାଅ ହେ ଶିବ,

ପାରିକର କୂଳେ ନେଇ ହେ ।

ଆହେ ବରାଳୟବାସୀ !

ବଳିଗଲାଟି ସମୟ ଆସି ହେ ।୨୩।

 

ଭାଳି ଭାଳି ଯା’ର ମହିମା ଅପାର ନ ପାଇଲେ ସରସ୍ୱତୀ,

ଭ୍ରାନ୍ତ କରି ମନ ଚତୁରବଦନ

ଗଣନା କରିନାହାନ୍ତି ହେ ।

ଭଲ ନ କଲେ ଅନର୍ଥ,

ଭଳିଯିବ କେଡ଼େ ପୁରୁଷାର୍ଥ ହେ ।୨୪।

 

 

 

 

ମାନସକମଳ ମନ୍ଥୁଛି ପ୍ରବଳ ହୋଇ ଦୁରତି-କୁଞ୍ଜର,

ମହିମାକେଶରୀ ବେଗେ ଆସିକରି

ତାହାକୁ କର ନିବାର ହେ ।

ମହାଭୟ ଯାଉ ନାଶ,

ମର୍ମ୍ମ ହେଉ ମୋର ପରିତୋଷ ହେ ।୨୫।

 

ଯମୁନାତୀରରେ ତୁମ୍ଭଙ୍କୁ ଭକ୍ତିରେ ପୂଜାକଲେ ଗୋପକନ୍ୟା,

ଯଶୋଦାକୁମର ହେବେ ବୋଲି

ବର ମନରେ କରି କାମନା ହେ ।

ଜାଣି ତାଙ୍କ ଭକ୍ତିଭାବ,

ଜଗମୋହନଙ୍କୁ ଦେଲ ଶିବ ହେ ।୨୬।

 

ରକ୍ଷାକର ମହାସଂକଟରୁ ସାହା ହୋଇ କରି ଆହେ ଶମ୍ଭୁ !

ରସା ମଧ୍ୟେ କେହୁ ଅଛି ମହାବାହୁ

ତୁମ୍ଭ ପରା ଆଉ ପ୍ରଭୁ ହେ ।

ଆହେ ରତିପତିରିପୁ !

ରାଢ଼ ପାପ ବିଦାରୁଛି ବପୁ ହେ ।୨୭।

 

 

 

 

ଲୀଳା ଏ ସଂସାର ହୋଇଛି ଯାହାର ନିଧି ଅଙ୍ଗୁ ଯା’ର ଜାତ,

ଲମ୍ବୋଦର ଯା’ର ଅଟନ୍ତି କୁମର

ଅଗ୍ର ପୂଜା ହୋଏ ଖ୍ୟାତ ହେ ।

ଲକ୍ଷ୍ୟ ଥାଉଁ ତାଙ୍କ ପଦ,

ଲଭୁଅଛି ମୁଁ ଅତ୍ୟନ୍ତ ଖେଦ ହେ ।୨୮।

 

ବିଦ୍ରୁମ ରାଜନ ନାମ ସୁରସେନ ପଶିଲେ ଆସି ଶରଣ,

ବିଶେଷ ବ୍ୟାଧିକି ନାଶିଲ ପିନାକି

ରଖିଲ ତା ବଡ଼ପଣ ହେ ।

ବାରେ ହୁଅ ବଜ୍ରସେହ୍ନା,

ବହିଅଛ ଭସ୍ମାଙ୍କୁର ବାନା ହେ ।୨୯।

 

ସୃଷ୍ଟି ସ୍ଥିତି ନାଶ ଯାହାର ଆଦେଶ ମାତ୍ରେ ହେଉଛି ଘଟଣା,

ସେ ପ୍ରଭୁ କରୁଣା କଲେ ନିକି

ଊଣା ମୋହିବ ମୋର ବେଦନା ହେ ।

ସେହି କଥାକୁ ସୁମରି,

ସରୁନାହିଁ ଦିନ ଝୁରି ଝୁରି ହେ ।୩୦।

 

 

 

 

ସଂସାରରେ କେତେ ପାତକୀ ସାକ୍ଷାତେ କରିଅଛ ନିସ୍ତାରଣ,

ସେହି ପ୍ରଭୁ ହୋଇ ମୋଠାରେ

କିପାଁଇ ହେଉଛ ଏଡ଼େ ଦାରୁଣ ହେ ।

ଆହେ ସୋମ-ସୂର୍ଯ୍ୟ-ନେତ୍ର,

ଶୁଣି ଲାଗୁଛି ବଡ଼ ବିଚିତ୍ର ହେ ।୩୧।

 

ଶରଣପଞ୍ଜରବାନାକୁ ତୁମ୍ଭର ଶୁଣି କରିଛି ଭରସା,

ଶରୀର ଶରଣ ଥାଉଁ ଗଲେ

ପ୍ରାଣ ହେବ ବଡ଼ ଲୋକହସା ହେ ।

ଶୀର୍ଣ୍ଣ ହେଉଛି ମୋ ଜନ୍ମ,

ଶୋକ ବଢ଼ୁଅଛି ଦିନୁ ଦିନୁ ହେ ।୩୨।

 

ହେଲଟି ଅନାଥ ଆହେ ପଞ୍ଚମାଥ ବିଚାରିବା ହେଉ ଚିତ୍ତେ,

ହରପାଦ ଗତି ଥାଉଁ ଥାଉଁ

ଅତି ସଂକଟ ପଡ଼ିଲା ମୋତେ ହେ ।

ହତ କର ମୋର ବ୍ୟାଧି,

ହେଳା ନ କର କରୁଣାନିଧି ହେ ।୩୩।

 

 

 

 

କ୍ଷେତ୍ରଙ୍କ ଉତ୍ତମ ବରାଳୟ ନାମ ପୁର ମଧ୍ୟେ ଅଛ ରହି,

ଖ୍ୟାତ କଳିକାଳେ ହୋଇଛ ଉତ୍କଳେ

ବାଲୁଙ୍କା ଲିଙ୍ଗ ବୋଲାଇ ହେ ।

କ୍ଷଣେ ବିଳମ୍ବ ନ କର,

ଖେଦନାଶନେ କୃତ୍ତିବାସର ହେ ।୩୪।

 

ଭାବାର୍ଥ - (୧-୫) କେଉଁ ଏକ କର୍ମହୀନ ଜନ ପ୍ରଭୁ ବାଲୁଙ୍କେଶ୍ଵରଙ୍କୁ ଚାହିଁ କରପତ୍ର ଯୋଡ଼ି, ପଦ୍ମପାଦତଳେ ପଡ଼ି ଓ ବୃଷଭ ପଛରେ ରହି ପ୍ରାର୍ଥନା କରୁଛି- ହେ କରୁଣାସାଗର, ମୋ ଉପରେ କୃପା କର । ପ୍ରଭୁ, ମୋ ଗୁହାରି ଶୁଣ, ହେ ଶୂଳଧାର, ତମଙ୍କୁ ମୁଁ ଆତୁର କଣ୍ଠରେ ଡାକୁଛି-। ଏ ଜଗତରେ ତୁମ ବିନା ମୋର ଆଉ କିଏ ସାହା ଅଛି ? ହେ ଖଟ୍ୱାଙ୍ଗଧାରୀ, ମୋତେ ଦୁଃଖସାଗରରୁ ପରିତ୍ରାଣ କର । ସଂସାରରେ ମୋ ପରି ପାପୀ କେହି ନାହିଁ । ହେ ଗଙ୍ଗାଧର, ମୋତେ ବିପଦରୁ ତାରିଲେ ଏ ଜଗତରେ ତୁମର ଯଶ ରହିବ, ବିପତ୍ତି ଗର୍ବ କରି ମୋତେ ଦିବାରାତି ଗଞ୍ଜୁଛି । ହେ ପ୍ରଭୁ, ମେଘକୁ ଚାତକ ଚାହିଁଲା ଭଳି ଅନବରତ ଅନେକ ଆଶା କରି.ତୁମକୁ ଚାହିଁ ରହିଛି । କୃପା ଦୃଷ୍ଟିରେ ଚାହିଁ ଏ ଦୀନର ଘୋର ଆର୍ତ୍ତ କାଳକୁ ବିନାଶ କର । ମୋର ଘୋର ଦୁର୍ଦ୍ଦଶା କଟିଯାଉ । ହେ ଗଙ୍ଗାଧର, ତୁମେ ହିଁ ମୋର ଭରସା । ହେ ହର, ଏ ନିରାଶ୍ରୟ ଜନଠାରେ ତୁମେ ଯଦି ଦୟା ନ କରିବ, ତୁମର ଦୀନବନ୍ଧୁ ନାମ ଏହିଠାରୁ ଦୂର ହେବ । ତୁମ ବିନା ଏ ଜଗତରେ ମୋର ଅନ୍ୟ କେହି ଭରସା ନାହିଁ । ମୁଁ ବଞ୍ଚିପାରିବି ନାହିଁ ।

 

ହେ ପ୍ରଭୁ, ଚଉଦ ଭୁବନରେ ତୁମର ଯଶବାନା ଉଡୁଛି । ତୁମ ବିନା ମୋ ମନର ବେଦନାକୁ କିଏ ବା ନାଶ କରିବ ? ଚନ୍ଦ୍ର ବିନା ଚକୋର ପରି ତୁମ ବିନା ମୋ ଅବସ୍ଥା ହୋଇଛି । ମୋ ତୁଣ୍ଡରେ କିଏ ବା ଆହାର ଦେବ ? ସକଳ ଆଶା ଛାଡ଼ି ଏ ସଂସାରରେ ତୁମକୁ ଆଶ୍ରା କରିଛି । ହେ ମହାପ୍ରଭୁ, ମୋର ବିପତ୍ତିକୁ ନ ଖଣ୍ଡିଲେ । ଜଗତରେ ଅକୀର୍ତ୍ତି ପାଇବ । ଏ ଜୀବନ ନିଶ୍ଚୟ ଛାଡ଼ିଯିବ, ସେବକର କଥାକୁ ମିଥ୍ୟ। ବୋଲି ଭାବ ନାହିଁ ।

 

ଭାବାର୍ଥ- (୮-୧୫) ପ୍ରଭୁ ରାମଚନ୍ଦ୍ର ତୁମକୁ ପୂଜା କରି ବର ମାଗିଥିଲେ । ଜାଗ୍ରତ ନିଦ୍ରାରେ ରହି ଏ ସ୍ଥାନରେ ପାପୀମାନଙ୍କୁ ତାରିଲ । ହେ ଜଟାଧର, ସବୁ ଜାଣି ମତେ ପାସୋରି ଦେଉଛ । କ୍ଷଣକ ପାଇଁ ମଧ୍ୟ ମୋ ଅଙ୍ଗରୁ ଦୁଃଖ ଅନ୍ତର ନାହିଁ । ତୁମକୁ ଝୁରିଝୁର ଏ ଦାସ ଯେବେ ନାଶ ଯିବ, ତୁମର ପ୍ରଭୁପଣ ଥାଇ ଲାଭ କ'ଣ ? ହେ ଗଙ୍ଗାଧର, ମୋ ଗୁହାରିକୁ ଶୁଣ । ନବମେଘ ବିନା ଚାତକର ଆଶା କାହିଁ ? ଏ ଜଗତରେ ତୁମ ଶ୍ରୀଚରଣ ଏକମାତ୍ର ଭରସା । ହେ ପାର୍ବତିପତି, ତୁମେ ଯଦି ନ ରଖିବ, ଏ ଭୃତ୍ୟର ଗତି କ’ଣ ହେବ ? ହେ ହର, ତୁମ ଦୟାସାଗରକୁ ଅଗସ୍ତି ଋଷି ଟିକେ ମଧ୍ୟ ନ ରଖି ପାନ କଲା କି ? ତେଣୁ ପ୍ରଭୁ ମୋ ଗୁହାରି ଶୁଣୁନାହିଁ । ତୁମର ଏ ମହିମା ଟଳିଗଲେ, ତୁମଦୁଃଖ ଗାରିମା ଟେକ ଯିବ କି ? ଠାକୁର ହୋଇ ଦୀନଦୁଃଖୀ ଜନ ପାଇଁ ଯଦି ଦୟାବାନ ହେବ ନାହିଁ, ତେବେ ମୋର । ଜୀବନ ଯିବା ନିଶ୍ଚିତ । ତୁମକୁ ଏ ଅକୀର୍ତ୍ତି ଲାଗିବ । ତୁମ ବିନା ମୋର ଠାବ ନାହିଁ । ଆଉ କାହା ପାଖରେ ବା ଠଉରାଇବି ?

 

ହେ ପ୍ରଭୁ, ମୋ ଦୁଃଖକୁ କର୍ଣ୍ଣ ଡେରି ଶୁଣ, ହେ ବାଞ୍ଛା କଳ୍ପତରୁ, ତୁମ ବିନା ମୋତେ ଏ ଶୋକ ସାଗରରୁ କିଏ ରକ୍ଷା କରିବ ? ତୁମର ତ ଦୁରିତ ନାଶନ ବାନା, ମୋ ଦୁଃଖ ଦୂର କର । ମୋ ଡାକ ଶୁଣ । ହେ ଦୟାମୟ, ଏ ଭୃତ୍ୟଜନର ଦୁଃଖଅନଳକୁ କୃପାଜଳରେ ଢାଳି ଲିଭାନ୍ତୁ । ତୁମର ମହିମା ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡରେ ପୂରି ରହିଛି । ତିଳେ ହେଲେ ମୋ କଥା ଶୁଣୁନାହଁ, କର୍ଣ୍ଣରେ ତୁମେ କ’ଣ ପଥର ଢାଙ୍କି ଦେଲକି ? ହେ ପ୍ରଭୁ, ଏ ଅଶରଣଜନଠାରେ କୃପାମୟ ହୋଇ ତୁମେ ନିଷ୍ଠୁର ହେଲେ, ଏ ଅଖିଳ ବିଶ୍ଵବ୍ରହ୍ମାଣ୍ଡରେ, ଆଉ କିଏ ବା ଅଛି, ମୋର ଦୁର୍ଗତି ନାଶ କରିବ ? ହେ ଅମର ନାୟକ, ଏ ଅରକ୍ଷ, ଅନାଥଜନଠାରେ ଦୟାକର ।

 

ଭାବାର୍ଥ - (୧୬-୨୨) ହେ ଦୟାମୟ, ତୁମେ ସାମାନ୍ୟ କୃପାନେତ୍ରରେ ମୋତେ ଚାହିଁଦେଲେ, ମୋର ଏ ଦୁର୍ଗତି ନାଶ ଯିବ । ତୁମ ତୃତୀୟ ନୟନର କଟାକ୍ଷରେ ଯେମିତି କନ୍ଦର୍ପ ଦହିହୋଇଯାଇଛି । ହେ ପଶୁପତି, ତୁମ ବିନା ମୋ ଦୁଃଖ ଦୂରକରିବାକୁ ଏ ସଂସାରରେ କେହି ନାହିଁ । ତୁମ ପାଖରେ ପ୍ରଭୁପଣ ଥାଉଁ ଥାଉଁ ମୋ ଏ ଦୀନଜନର ଗୁହାରି କାହିଁକି ଶୁଣୁନାହଁ ? ଶରଣରକ୍ଷଣବାନାକୁ ଫିଟାଇ ରଖିଦିଅ । ତୁମକୁ ଆଉ କେହି ଦୁଃଖ କହିବେ ନାହିଁ । ସ୍ଥାବର, ଜଙ୍ଗମ ସମସ୍ତେ କର୍ମକୁ ଆଦରି ରହିବେ । ହେ ପ୍ରଭୁ, ଗଙ୍ଗାନଦୀ ତୀରରେ ଅଇରି ଘାଟରେ ବ୍ରାହ୍ମଣ ସ୍ତ୍ରୀ ଚିନ୍ତାକଲେ । ଫଳରେ ଦୁଃସହ ଗରଳ ଜଳ ହୋଇଗଲା । ତୁମ୍ଭ ଗରିମା ଏବେ ରହିଛି । ଆହେ ଦୁରିତନାଶନ, ଭକ୍ତକୁ ଅଭୟ ବର ପ୍ରଦାନ କର ।

 

ହେ ଶିବଶଙ୍କର, ଧନପତି କୁବେର ଯାହାର ପାଦ ସେବାକରି ଅଳକାପୁର ଲାଭ କଲେ, ଯମଭୟରୁ ରକ୍ଷା ପାଇବା ପାଇଁ ମାର୍କଣ୍ଡେୟ ଯାହାଙ୍କୁ ସେବା କରି ଅମର ହୋଇଛନ୍ତି, ସେହି ପ୍ରଭୁଙ୍କ ଚରଣକୁ ଧ୍ୟାନ କରି ମୋ ଦୁଃଖ ଗଲା ନାହିଁ ! ପ୍ରଭୁ, ତୁମ୍ଭ ପାଦପଦ୍ମ ତଳେ ମୁଁ ଶରଣ ପଶିଛି-। ମୋର ଦୁଃଖକୁ ନିବାରଣ କରି ହେ ପଞ୍ଚମୁଖ ମୋତେ ଉଦ୍ଧରି ଧର । ହେ ମୃତ୍ୟୁଞ୍ଜୟ, ମୋ ପ୍ରତି ନିଷ୍ଠୁର ହୃଦୟ ହୁଅ ନାହିଁ । ଏ ଭୃତ୍ୟ ନାଶ ଗଲେ ତୁମେ ନିନ୍ଦା ପାଇବ । ଦେବଗଣ ଅସୁରମାନଙ୍କ ଦ୍ୱାରା ନିର୍ଯାତିତ ହୋଇ ତୁମର ଶରଣ ଗଲେ, ପ୍ରବଳ ପ୍ରତାପୀ ତ୍ରିପୁରାସୁରକୁ ବଧ କରି ଦେବତାମାନଙ୍କୁ ରକ୍ଷା କଲ । ସମୁଦ୍ର ମନ୍ଥନରୁ ଜାତ କାଳକୂଟ ବିଷକୁ ପାନ କରି ପୃଥିବୀରେ ପ୍ରଭୁପଣକୁ ପ୍ରକଟ କଲ । ହେ କନ୍ଦର୍ପ ଶତ୍ର ଶିବ, ମୋ ଗୁହାରି ଶୁଣ । ତୁମେ ଯଦି ସତ୍ୟକୁ ଲଙ୍ଘିବ ସୃଷ୍ଟିର ବିଲୟ ଘଟିବ । ମେଘମାନେ ଆଉ ଜଳବୃଷ୍ଟି କରିବେ ନାହିଁ । ଏ ଧରା ଫାଟିଯିବ, ବାସୁକି ଭାରା ପାଇବେ ।

 

ଭାବାର୍ଥ - (୨୩-୨୮) ହେ ପ୍ରଭୁ, ବିପତ୍ତି ସାଗରରେ ପଡ଼ି ମୁଁ ନିରନ୍ତର ଭାସି ଯାଉଛି-। ହେ ଶିବ, କୃପାବାନ ଆଣି କୂଳରେ ଲଗାଅ, ମୋତେ ପାରିକର । ସମୟ ଏବେ ଚାଲି ଯାଉଛି । ଯାହାଙ୍କୁ ଭାଳିଭାଳି ତାଙ୍କର ଅପାର ମହିମାର ପରିଚୟ ସରସ୍ୱତୀ ପାଇଲେ ନାହି, ଭୁଲରେ ବ୍ରହ୍ମା ଗଣନା କରିପାରିଲେ ନାହିଁ । ହେ ପ୍ରଭୁ, ମୋର ମାନସ-କମଳକୁ ଦୁରିତ-କୁଞ୍ଜର (ଦୁଃଖହାତୀ) ପ୍ରବଳ ହୋଇ ମନ୍ଥନ କରୁଛି । ହେ ମହିମାକେଶରି (ସିଂହ) ଶୀଘ୍ର ସେଠାକୁ ଆସି ତାକୁ ନିବାରଣ କର । ଏ ମହାଭୟ ନାଶଯାଉ, ମୋର ମର୍ମବେଦନା ଦୂର ହେଉ । କୃଷ୍ଣଙ୍କୁ ବରରୂପେ ପାଇବାକୁ ଇଚ୍ଛା କରି ଯମୁନା ନଦୀ କୂଳରେ ଗୋପାଙ୍ଗନାମାନେ ତୁମକୁ ଭକ୍ତିରେ ପୂଜା କଲେ । ସେମାନଙ୍କ ଭକ୍ତିଭାବ ଜାଣି ତାଙ୍କ ହାତରେ କୃଷ୍ଣଙ୍କୁ ଦେଲ ।

 

ହେ ଶମ୍ଭୁ, ମୋତେ ସାହା ହୁଅ, ମହାସଙ୍କଟରୁ ରକ୍ଷା କର । ଏ ସସାଗରା ପୃଥିବୀ ମଧ୍ୟରେ ତୁମ୍ଭ ପରି ପ୍ରଭୁ କିଏ ଆଉ ଅଛି ? ହେ ମହାବାହୁ, ଭୟଙ୍କର ପାପ ମୋ ବପୁକୁ ବିଦାରି ପକାଉଛି । ଯାହାର ଅଙ୍ଗରୁ ଏ ସଂସାରର ଲୀଳାଖେଳା ଜାତ ହୋଇଛି । ତାଙ୍କ ପାଦକୁ ମୁଁ ଧ୍ୟାଉଛି-। ହେ ପ୍ରଭୁ, ମୁଁ ଅଶେଷ ଦୁଃଖ ପାଉଛି । ମୋତେ ଉଦ୍ଧାର କର ।

 

ଭାବାର୍ଥ- (୨୯-୩୪) ବିଦ୍ରୁମ ଦେଶର ରାଜା ସୁରସେନ ତୁମ ପାଖରେ ଶରଣ ପଶିଲା-। ବିଶେଷ ବ୍ୟାଧିକୁ ନାଶିଲ । ପିନାକୀକୁ ରଖି ତୁମ ବଡ଼ପଣକୁ ରଖିଲ । ହେ ଦେବ ଦେବ ମହାଦେବ, ଭସ୍ନାଙ୍କୁର ବାନାକୁ ବହିଛ । ବଜ୍ରସେହ୍ନା ହୋଇ ମୋ ବିପଦକୁ ଟାଳ ! ଯାହାର ଆଦେଶରେ ସୃଷ୍ଟି ସ୍ଥିତି ନାଶ ଯିବ, ସେ ପ୍ରଭୁ କରୁଣା କଲେ, ମୋର ବେଦନା ଦୂର ହେବନି କି ? ସେହି କଥାକୁ ସୁମରଣା କରି ପ୍ରତ୍ୟହ ଝୁରୁଛି । ଦିନ ସରୁ ନାହିଁ, ହେ ମହାଦେବ, ସଂସାର ମଧ୍ୟରେ କେତେ କେତେ ପାତକୀଙ୍କୁ ନିସ୍ତାର କରିଛି । ସେହି ପ୍ରଭୁ ହୋଇ ମୋ ପ୍ରତି କାହିଁକି ଏତେ ନିଷ୍ଠୁର ହେଉଛ ? ଆହେ ସୋମ-ସୂର୍ଯ୍ୟ-ନେତ୍ର, ଏ କଥା ଶୁଣି ମୋତେ ବଡ଼ ବିଚିତ୍ର ଲାଗୁଛି , ତୁମର ଶରଣପଞ୍ଜର ବାନାକୁ ମୁଁ ଭରସା କରିଛି । ତୁମ୍ଭେ ଶରଣ କରୁ କରୁ ମୋର ପ୍ରାଣ ଗଲେ, ଲୋକହସା ସହିବାକୁ ପଡ଼ିବ । ଦିନକୁ ଦିନ ଶରୀର ଶୀର୍ଣ୍ଣ ହେଉଛି, ଶୋକ ବଢୁଛି ।

 

ହେ ପ୍ରଭୁ ପଞ୍ଚମାଥ, ମୁଁ ଅନାଥ ହୋଇଯାଇଛି । ମୋ କଥା ମନରେ ବିଚାର କର । ହରପାଦ ଗତି ଥାଉଁ ଥାଉଁ ମୋତେ ଅତିମାତ୍ରାରେ ସଙ୍କଟ ପଡ଼ିଲା । ପ୍ରଭୁ କରୁଣାନିଧି, ହେଳା ନ କରି ମୋର ବ୍ୟାଧିକୁ ଦୂରକର । ହେ ମହାଦେବ, କ୍ଷେତ୍ରମଧ୍ୟରେ ଶ୍ରେଷ୍ଠ ବରାଳୟ ତା’ ମଧ୍ୟରେ ତୁମେ ଅବସ୍ଥାନ କରୁଛ । କଳିକାଳରେ ଉତ୍କଳରେ ବାଲୁଙ୍କେଶ୍ଵର ନାମରେ ଖ୍ୟାତ ହୋଇଛ । ହେ ପ୍ରଭୁ, କ୍ଷଣେ ବିଳମ୍ବ ନ କରି ହୀନ କୃତିବାସର ଦୁଃଖ ହରଣ କର ।